ଶ୍ରମ ବାହିନୀଙ୍କ ହସ୍ତକ୍ଷେପରେ ଉଦ୍ଧାର ହେଲେ ୩୪ ଜଣ ବନ୍ଧୁଆ ଶ୍ରମିକ,

Feb 15, 2026 - 13:45
 0  5
ଶ୍ରମ ବାହିନୀଙ୍କ ହସ୍ତକ୍ଷେପରେ ଉଦ୍ଧାର ହେଲେ ୩୪ ଜଣ ବନ୍ଧୁଆ ଶ୍ରମିକ,

ଶ୍ରମ ବାହିନୀଙ୍କ ହସ୍ତକ୍ଷେପରେ ଉଦ୍ଧାର କଲେ ୩୪ ଜଣ ବନ୍ଧୁଆ ଶ୍ରମିକ,

ଗୋଲାମୁଣ୍ଡା, ୧୫/୦୨(ଶୁଭମ ବାର୍ତ୍ତା _ଉପେନ୍ଦ୍ର ବଗର୍ତ୍ତି )ଶ୍ରମ ବାହିନୀଙ୍କ ସମୟୋପଯୋଗୀ ହସ୍ତକ୍ଷେପ ଏବଂ ସକ୍ରିୟ ପଦକ୍ଷେପର ଫଳସ୍ୱରୂପ, କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର ଇଲକାଲ ତାହାସିଲ ଅନ୍ତର୍ଗତ ସଂକଲାପୁର ଗ୍ରାମ ସମୀପର ଗୋଟିଏ ଇଟଭଟ୍ଟାରୁ ଉଦ୍ଧାର ହୋଇଥିବା ୩୪ ଜଣ ବନ୍ଧୁଆ ଶ୍ରମିକ, ଯାହାମାନଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଶ୍ରମିକ ମଧ୍ୟ ଥିଲେ, ସୁରକ୍ଷିତ ଭାବେ ଓଡିଶାରେ ତାଙ୍କ ଜନ୍ମସ୍ଥାନକୁ ପହଞ୍ଚିଛନ୍ତି। ସଂଗଠନ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ତହସିଲଦାର ଅମରେଶ ପମ୍ମାରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପୋଲିସ ଓ ଶ୍ରମ ବିଭାଗର ସହଯୋଗରେ ତୁରନ୍ତ ଛାପାମାରି କରି ଉଦ୍ଧାର କାର୍ଯ୍ୟ ସଂପାଦନ କରିଥିଲେ। ଛାପାମାରି ସମୟରେ ନଅ ଜଣ ସ୍କୁଲ ଛାଡ଼ା ଶିଶୁ ମଧ୍ୟ ଶ୍ରମ କରୁଥିବା ଅବସ୍ଥାରେ ମିଳିଥିଲେ।ଅଧିକୃତ ସୂତ୍ରରୁ ପ୍ରକାଶ ଯେ, ମଧ୍ୟସ୍ଥମାନେ ଚାକିରିର ଭ୍ରମଜନକ ପ୍ରତିଶ୍ରୁତି ଦେଇ ଏହି ଶ୍ରମିକମାନଙ୍କୁ ପ୍ରାୟ ତିନି ମାସ ପୂର୍ବରୁ ସେଠାକୁ ନେଇଯାଇଥିଲେ। ଶ୍ରମିକମାନେ କମ ଦରମା ଓ ଅସଦ୍ବ୍ୟବହାରର ଅଭିଯୋଗ କରିଛନ୍ତି। ଇଟଭଟ୍ଟା ମାଲିକମାନଙ୍କ ବିରୋଧରେ ସମ୍ବନ୍ଧିତ ଶ୍ରମ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା ସହିତ ମାନବ ତସକରି ସମ୍ଭାବନାକୁ ନଜରରେ ରଖି ତଦନ୍ତ ଚାଲିଛି।ପୁନର୍ବାସନ ପ୍ରକ୍ରିୟା ସମୟରେ ମଧ୍ୟ ଶ୍ରମ ବାହିନୀ ସକ୍ରିୟ ସହଯୋଗ ଜାରି ରଖିଥିଲା। ସଂଗଠନର ଅଧ୍ୟକ୍ଷ ଝାସକେତନ ବାଗ ଟିଟିଲାଗଡ଼ ରେଳଷ୍ଟେସନରେ ଉପସ୍ଥିତ ରହି କଳାହାଣ୍ଡି ଶ୍ରମ ବିଭାଗର ଅଧିକାରୀମାନଙ୍କ ଦ୍ୱାରା ହେଉଥିବା ପୃଷ୍ଟାଚାର, ଦଳିଲପତ୍ର ପ୍ରସ୍ତୁତି ଓ ପୁନର୍ବାସନ କାର୍ଯ୍ୟରେ ଶ୍ରମିକମାନଙ୍କୁ ସହଯୋଗ କରିଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ୧୬, ଏବଂ ବଲାଙ୍ଗୀର ଜିଲ୍ଲାର ସିନ୍ଦେକେଲା ର ୭ ଏବଂ ନୂଆପଡ଼ା ଜିଲ୍ଲାର ବୋଡେନ ଅଞ୍ଚଳର ୧୧ ଅଟନ୍ତି। ସଂଗଠନ ପକ୍ଷରୁ ଅସହାୟ ପ୍ରବାସୀ ଶ୍ରମିକମାନଙ୍କ ଅଧିକାର ଓ ମର୍ଯ୍ୟାଦା ସୁରକ୍ଷା ପ୍ରତି ଦୃଢ଼ ସଙ୍କଳ୍ପ ପୁନରୁଚ୍ଚାରଣ କରାଯାଇଛି।

What's Your Reaction?

like

dislike

love

funny

angry

sad

wow