ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ! ଆଣିଲେ ପରିବାର ଲୋକେ,
ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ!,
କଳାହାଣ୍ଡି ଶୁଭମ ବାର୍ତ୍ତା :- ଗତ ୫ ଦିନ ନିଖୋଜ ଥିବା ଏକ ପ୍ରେମୀଯୁଗଳଙ୍କ ପଚାସଢ଼ା ଶବ ଗୁରୁବାର ଦିନ ଏକ ପାହାଡ଼ିଆ ଅଞ୍ଚଳର ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି।ମୃତକଦ୍ୱୟ ହେଲେ କୋକସରା ଥାନା ଅନ୍ତର୍ଗତ ଟେଣ୍ଡାସିପାଲି ଗ୍ରାମର ପ୍ରହ୍ଲାଦ ନାଏକଙ୍କ ପୁଅ ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ସହରର କେନ୍ଦୁମୁଡ଼ି ପଡ଼ା ଅଞ୍ଚଳର ପ୍ରିୟଦର୍ଶିନୀ ନାଏକ। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୧୭ ତାରିଖ ଦୁର୍ଗାପୂଜା ଉତ୍ସବ ସମୟରେ ଉଭୟ ପ୍ରେମୀଯୁଗଳ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ। ଏନେଇ ସେମାନଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ପୃଥକ ପୃଥକ ଭାବେ ନିଖୋଜ ଏତଲା ଦିଆଯାଇଥିଲା। ଗୁରୁବାର ସକାଳେ କିଛି ସ୍ଥାନୀୟ ଲୋକ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଗଛରେ ଦୁଇଟି ଶବ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଶବଗୁଡ଼ିକ ଅଧିକ ପଚିଯାଇଥିବାରୁ କେଶ ମଧ୍ୟ ଖସି ପଡ଼ିଥିଲା। ପରିବାରବର୍ଗ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।ମୃତ୍ୟୁର କାରଣକୁ ନେଇ ବଡ଼ଧରଣର ସନ୍ଦେହ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଏବଂ ପରିବାରବର୍ଗ ଅଭିଯୋଗ କରିଛନ୍ତି ଯେ ମୃତଦେହଗୁଡ଼ିକରେ ରକ୍ତଦାଗ ଥିବାବେଳେ ଉଭୟଙ୍କ ହାତ ପଛପଟୁ ବନ୍ଧା ହୋଇଥିବା ପରି ଦେଖାଯାଉଥିଲା। ଏଭଳି ଅବସ୍ଥାରେ କେହି କିପରି ଆତ୍ମହତ୍ୟା କରିପାରିବ ବୋଲି ପ୍ରଶ୍ନ କରି ପରିବାରବର୍ଗ ଏହା ଏକ ପୂର୍ବପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଅର ପରିବାର ପକ୍ଷରୁ ଝିଅଘର ଲୋକଙ୍କ ସଂପୃକ୍ତି ଥିବା ଅଭିଯୋଗ କରାଯାଇଛି। ଖବର ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି। ପୋଷ୍ଟମର୍ଟମ ରିପୋର୍ଟ ଏବଂ ଫରେନସିକ୍ ପ୍ରମାଣ ଆସିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।
What's Your Reaction?