ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ,
ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ
ଶୋଷଣ, ଠକେଇ ଓ ମଜୁରି ସମସ୍ୟାରୁ ସୁରକ୍ଷା ପାଇଁ ସଚେତନ ରହିବାକୁ ପରାମର୍ଶ,
ଗୋଲାମୁଣ୍ଡା, ୨୭/୦୯ ( ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି) : ପ୍ରବାସୀ ଶ୍ରମିକମାନେ କର୍ମସ୍ଥଳରେ ସମ୍ମୁଖୀନ ହେଉଥିବା ଶୋଷଣ, ଠକେଇ, ମଜୁରି ସମସ୍ୟା ଓ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ପକ୍ଷରୁ ଗୋଲାମୁଣ୍ଡା ପଞ୍ଚାୟତ ସମିତି ସଭାଗୃହରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀକାନ୍ତ ପାଢ଼ୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ, ଜିଲ୍ଲା ଶ୍ରମ ଅଧିକାରୀ ରଶ୍ମିତା ନାୟକ, ଗୋଲାମୁଣ୍ଡା ସହାୟକ ଶ୍ରମ ଅଧିକାରୀ ପ୍ରଶାନ୍ତ ମାଝୀ, ଆଇନଜୀବୀ ଧୀରେନ୍ଦ୍ରନାଥ ପାତ୍ର ଓ ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମା ପ୍ରମୁଖ ମଞ୍ଚାସୀନ ଥିଲେ।ବକ୍ତାମାନେ କହିଥିଲେ ଯେ, ଜୀବିକା ଅନ୍ୱେଷଣରେ ଅନ୍ୟ ରାଜ୍ୟ କିମ୍ବା ଦୂରଦୂରାନ୍ତକୁ ଯାଉଥିବା ଶ୍ରମିକମାନେ ବେଳେବେଳେ ଠକେଇ, ଅନ୍ୟାୟ ମଜୁରି, କାର୍ଯ୍ୟସ୍ଥଳରେ ଶୋଷଣ ଓ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏପରି ପରିସ୍ଥିତିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରବାସରେ ଯିବା ପୂର୍ବରୁ ନିଯୁକ୍ତିଦାତା, କାର୍ଯ୍ୟସ୍ଥଳ, ମଜୁରି ଓ ଅନ୍ୟାନ୍ୟ ଶ୍ରମ ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ ବୋଲି ସଚେତନ କରାଯାଇଥିଲା। ଏଥିସହିତ କର୍ମସ୍ଥଳରେ କୌଣସି ପ୍ରକାର ଶୋଷଣ କିମ୍ବା ଠକେଇର ଶିକାର ହେଲେ ଚୁପ୍ ନ ରହି ଆଇନଗତ ସହାୟତା ନେବାକୁ ପରାମର୍ଶ ଦିଆଯାଇଥିଲା। ନିଜର ପରିଚୟପତ୍ର, ଆବଶ୍ୟକ ଦସ୍ତାବିଜ ଓ ଜରୁରୀ ଯୋଗାଯୋଗ ନମ୍ବର ସୁରକ୍ଷିତ ରଖିବା ସହ ପରିବାର ସଦସ୍ୟଙ୍କୁ କାର୍ଯ୍ୟସ୍ଥଳ ଓ ନିଯୁକ୍ତିଦାତାଙ୍କ ସମ୍ପର୍କରେ ତଥ୍ୟ ଦେଇ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାର ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା, ଅଧିକାର ଓ ଆଇନଗତ ସହାୟତା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କୌଣସି ଶ୍ରମିକ ଅସୁବିଧାରେ ପଡ଼ିଲେ ଆଇନଗତ ସହାୟତା ନେବା ସହ ନିଜ ଅଧିକାର ସମ୍ପର୍କରେ ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପାତ୍ର ପରିଚାଳନା କରିଥିବା ବେଳେ କନିଷ୍ଠ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?