ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା
ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା
ଅବସରପ୍ରାପ୍ତ ଶିକ୍ଷକଙ୍କ ଶୋଭାଯାତ୍ରା ଗ୍ରାମ ପରିକ୍ରମା ସମୟରେ ଟ୍ରାଫିକ୍ ଜାମ୍ ପରିସ୍ଥିତି
ଏମିତିକା ଭବ୍ୟ ସମ୍ବର୍ଦ୍ଧନା ଶୋଭାଯାତ୍ରା ଅଞ୍ଚଳରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା
ନର୍ଲା ଶୁଭମ ବାର୍ତ୍ତା (ତ୍ରିଲୋଚନ ଗୌଡ଼ ):- ନର୍ଲାବ୍ଲକ ଅନ୍ତର୍ଗତ ରୁପ୍ରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଶନିବାର ଦିନ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବିଇଓ ନର୍ଲା ମଧୁସ୍ମିତା ନାଏକ ମୁଖ୍ୟ ଅତିଥି, ଏବିଇଓ ନର୍ଲା ଗୋବର୍ଦ୍ଧନ ମାଝୀ ମୁଖ୍ୟବକ୍ତା, ଉକ୍ତ ବିଦ୍ୟାଳୟର ପ୍ରଥମ ପରିଚାଳନା କମିଟିର ସଭାପତି ତଥା ଶିକ୍ଷାବିତ୍ ବୁଡୁ ମହାଲିଙ୍ଗ, ଜୁନାଗଡ ବ୍ଲକ୍ ର ଅବସରପ୍ରାପ୍ତ ବିଇଓ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବିଜୟ କୁମାର ସେନାପତି ଓ ରୁପ୍ରା ସରପଞ୍ଚ ଡଲି ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଯୁବ ଗାଳ୍ପିକ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଡିଳେଶ୍ୱର ରଣା କରିଥିବା ବେଳେ ଅତିଥି ପରିଚୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁଦାମ ଚରଣ ମିଶ୍ର କରିଥିଲେ। ସେହିପରି ନିମନ୍ତ୍ରିତ ଅତିଥି ଭାବରେ ବ୍ଲକ୍ ଅନ୍ତର୍ଗତ ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରୁପ୍ରା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ। ସମସ୍ତ ଅତିଥି ଗଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ଜଣେ ଆଦର୍ଶ ଶିକ୍ଷକ, ନିଷ୍ଠାପର, କର୍ତ୍ତବ୍ୟପରାୟଣ ଓ ବିଦ୍ୟାଳୟ ପାଇଁ ଜଣେ ସମର୍ପିତ ଦକ୍ଷ ପ୍ରଧାନ ଶିକ୍ଷକ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ମତପ୍ରକାଶ କରିଥିଲେ। ପରିଶେଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କ ଅବସରୋତ୍ତର ଜୀବନ ସୁଖମୟ, ଶାନ୍ତିମୟ, ନିରାମୟ ଓ ଆନନ୍ଦମୟ ହେଉ ବୋଲି ଭଗବାନଙ୍କ ଠାରେ କାମନା କରିଥିଲେ। ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ନିଜ ବାସଭବନକୁ ଛାଡିବା ପାଇଁ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏକ ସୁସଜ୍ଜିତ ରଥରେ ବେଣ୍ଡ୍ ବାଜା ବଜାଇ ବାଣ ଫୁଟାଇବା ସହ ଛାତ୍ରଛାତ୍ରୀ ମାନେ ନାଚଗୀତ ମାଧ୍ୟମରେ ଗ୍ରାମ ପରିକ୍ରମା କରିବା ସମୟରେ ରୁପ୍ରାରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେହିପରି ଗ୍ରାମ ପରିକ୍ରମା ସମୟରେ ବନ୍ଦାପନା ଓ ହୁଳହୁଳି ଶବ୍ଦରେ ଗାଁ ପ୍ରକମ୍ପିତ ହୋଇଥିଲା। ତେବେ ଏମିତିକା ଭବ୍ୟ ସମ୍ବର୍ଦ୍ଧନା ଶୋଭାଯାତ୍ରା ଅଞ୍ଚଳରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ସେହିପରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ତାଙ୍କ ବାସଭବନରେ ପହଞ୍ଚିବା ପରେ ମହିଳା ମାନେ ସମ୍ବର୍ଦ୍ଧନା ଜଣାଇ ଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ ନନ୍ଦ, ରାଧାକାନ୍ତ ସେନାପତି, ବିକ୍ରମ ଗୌଡ, ଚନ୍ଦ୍ର ଶେଖର ବେହେରା, ଅନାଦୀ ଚରଣ ପଧାନ, ବିଜୟ ସାହୁ, ଅବସରପ୍ରାପ୍ତ ଖେଳ ଶିକ୍ଷକ ସୀତାରାମ ପଟ୍ଟନାୟକ ଓ କିରାଣୀ କ୍ଷିରସିନ୍ଧୁ ସାହୁ, ବିଦ୍ୟାଳୟର ପୁରାତନ ଛାତ୍ର ତଥା ଆନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ରବିନ୍ଦ୍ର ସାହୁଙ୍କ ସମେତ ଶତାଧିକ ପୁରାତନ ଛାତ୍ର ଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ରାଧାକାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?