ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡ଼ି କେନ୍ଦ୍ର; ଦୋକାନ ଗୃହରେ ଚାଲିଛି ଶିଶୁଙ୍କ ପ୍ରାକ୍-ପ୍ରାଥମିକ ଶିକ୍ଷା,
ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡ଼ି କେନ୍ଦ୍ର; ଦୋକାନ ଗୃହରେ ଚାଲିଛି ଶିଶୁଙ୍କ ପ୍ରାକ୍-ପ୍ରାଥମିକ ଶିକ୍ଷା
ଗୋଲାମୁଣ୍ଡା ବ୍ଲକ, ରୁ ଉପେନ୍ଦ୍ର ବଗର୍ତ୍ତି ୨୫/୦୮(ଶୁଭମ ବାର୍ତ୍ତା): ଛୋଟ ଛୋଟ କୋମଳମତି ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ଓ ପୋଷଣର ଭିତ୍ତି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତ ସଦର ଚଲାନପଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ଏବେ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଭଡ଼ା ଦୋକାନ ଗୃହରେ ଶିଶୁମାନଙ୍କୁ ପ୍ରାକ୍-ପ୍ରାଥମିକ ଶିକ୍ଷା ଦିଆଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, କେତେବେଳେ ଦୋକାନ ଗୃହ ଏବଂ ଅନ୍ୟ ସମୟରେ ଉପଲବ୍ଧ ସାଧାରଣ ଗୃହରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲୁଥିବା କୁହାଯାଉଛି। ଫଳରେ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ, ସ୍ୱଚ୍ଛ ଓ ଶିକ୍ଷା ଅନୁକୂଳ ପରିବେଶ ନିଶ୍ଚିତ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଏହା ସହିତ ଏକେ ସ୍ଥାନରେ ଶିଶୁମାନଙ୍କ ପାଠପଢ଼ା ସହ ଖାଦ୍ୟ ପ୍ରସ୍ତୁତି ଓ ରୋଷେଇ କାର୍ଯ୍ୟ ହେଉଥିବାରୁ ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ ରହିଛି। ଶିଶୁମାନଙ୍କ ଶିକ୍ଷା ପରିବେଶ, ସ୍ୱଚ୍ଛତା ଓ ସୁରକ୍ଷା ଦୃଷ୍ଟିରୁ ପାଠପଢ଼ା ସ୍ଥାନ ଓ ରୋଷେଇ ବ୍ୟବସ୍ଥା ପୃଥକ ରହିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କେନ୍ଦ୍ର ପାଇଁ ନିଜସ୍ୱ ଗୃହ ନିର୍ମାଣ ନିମନ୍ତେ ପାଣ୍ଠି ଆସିଥିବା କୁହାଯାଉଥିଲେ ମଧ୍ୟ ଜମି ଚିହ୍ନଟ ହୋଇନଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଜମି ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଶିଶୁମାନଙ୍କୁ ଏଭଳି ଅସ୍ଥାୟୀ ବ୍ୟବସ୍ଥାରେ ରହିବାକୁ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି।ଦୀର୍ଘଦିନ ଧରି ସମସ୍ୟା ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ହୋଇନଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଙ୍ଗନୱାଡ଼ି କେନ୍ଦ୍ର ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ସହ ପୋଷଣ ଓ ଯତ୍ନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇଥିବାରୁ ଏହାର ଭିତ୍ତିଭୂମି ସୁବିଧା ଉପରେ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଦାବି ହୋଇଛି। ତେଣୁ ଜମି ଚିହ୍ନଟ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରି ଅନୁମୋଦିତ ପାଣ୍ଠିରେ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହା ସହିତ ସେପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ସୁରକ୍ଷିତ, ସ୍ୱଚ୍ଛ ଓ ଶିକ୍ଷା ଅନୁକୂଳ ଅସ୍ଥାୟୀ ବ୍ୟବସ୍ଥା କରିବାକୁ ମଧ୍ୟ ସେମାନେ ଅନୁରୋଧ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ତାହାକୁ ନେଇ ଏବେ ଅଭିଭାବକ ଓ ଅଞ୍ଚଳବାସୀଙ୍କ ନଜର ପ୍ରଶାସନ ଉପରେ ରହିଛି।
What's Your Reaction?