ମୌଳିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନକଟିକାନି ପଞ୍ଚାୟତ ବାସୀ। ନିର୍ମାଣର ଦୁଇ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ଚିକିତ୍ସା ପାଇଁ ଯିବାକୁ ପଡୁଛି ୧୩ କିଲୋମିଟର ଦୂର ।
ମୌଳିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନକଟିକାନି ପଞ୍ଚାୟତ ବାସୀ।
ନିର୍ମାଣର ଦୁଇ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର
ପ୍ରାଥମିକ ଚିକିତ୍ସା ପାଇଁ ଯିବାକୁ ପଡୁଛି ୧୩ କିଲୋମିଟର ଦୂର ।
ଗୋଲାମୁଣ୍ଡା, ୨୫/୦୬:(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ପଞ୍ଚାୟତରେ ବିଭିନ୍ନ ସମସ୍ୟା ମଧ୍ୟରେ ଜନସାଧାରଣ ଜୀବନ ଅତିବାହିତ କରୁଥିବା ବେଳେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଖବର ସାମ୍ନାକୁ ଆସିଛି। ଗତ ବିଜେଡି ସରକାର ସମୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ, ନିର୍ମାଣ ସରିବାର ଦୁଇରୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଆରୋଗ୍ୟ ମନ୍ଦିରରେ ନା ଅଛି ସ୍ୱାସ୍ଥ୍ୟ କର୍ମୀ ନା ସ୍ୱାସ୍ଥ୍ୟ ସେବା। ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କୌଣସି ଉଦ୍ଘାଟନ ମଧ୍ୟ ହୋଇନଥିବା ଲୋକେ କହିଛନ୍ତି । ଯାହାକୁ ନେଇ ପଞ୍ଚାୟତ ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ସାଧାରଣ ଚିକିତ୍ସା ସେବା ପାଇଁ ପ୍ରାୟ ୧୩ କିଲୋମିଟର ଦୂର ଗୋଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯିବାକୁ ବାଧ୍ୟ ହେଉଛନ୍ତି। ଜରୁରୀ ପରିସ୍ଥିତିରେ ଏହା ଅଞ୍ଚଳବାସୀଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଥିବା ସେମାନେ କହିଛନ୍ତି। ଏପଟେ ଆରୋଗ୍ୟ ମନ୍ଦିରର ଅବସ୍ଥା ଯେମିତି ସରକାରୀ ଉଦଘାଟନ ହେବା ପର୍ଯ୍ୟନ୍ତ ଠିକ ଥିବ କି ନାହିଁ ବୋଲି ସନ୍ଧେହ ଉପୁଜିଛି । କେତେକ ସ୍ଥାନରେ ଟାଇଲ୍ ଭାଙ୍ଗିଯାଇଥିବା ବେଳେ ରଙ୍ଗ ଫିକା ପଡ଼ିଯାଇଛି। ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି। ପାଣି ଯୋଗାଣ ପାଇଁ ଲଗାଯାଇଥିବା କିଛି ପାଇପ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଶୀଘ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ କାର୍ଯ୍ୟକ୍ଷମ କରି ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ କରିବା ସହ ଆବଶ୍ୟକ ଚିକିତ୍ସା ସେବା ଯୋଗାଇବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏନେଇ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରାଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ମାଗିବାରୁ ପୋଲିଓ କାର୍ଯ୍ୟ କ୍ରମ ସବିବା ପରେ ମୁଁ ପରିଦର୍ଶନ କରି ସମସ୍ୟା ର ସମାଧାନ କରିବି ବୋଲି ପ୍ରକାଶ କରିଥିଲେ । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।
What's Your Reaction?