ଗ୍ୟାସ୍ ସିଲିଣ୍ଡର ଜବତ ପରେ ଫୁଣ୍ଡା ଏଜେନ୍ସୀରେ ଛାନଭିନ,
ଗ୍ୟାସ୍ ସିଲିଣ୍ଡର ଜବତ ପରେ ଫୁଣ୍ଡା ଏଜେନ୍ସୀରେ ଛାନଭିନ,
୭୬ ସିଲିଣ୍ଡର ଜବତ ଘଟଣାର ୪୮ ଘଣ୍ଟା ପରେ ଯାଞ୍ଚ, ଷ୍ଟକ୍ରେ ଅସଙ୍ଗତି ନେଇ ପ୍ରଶ୍ନ
ଫୁଣ୍ଡା ଭାରତ ଗ୍ୟାସ୍ ଏଜେନ୍ସୀକୁ କାହିଁକି ଅନୁକମ୍ପା? ଜିଲ୍ଲା ଯୋଗାଣ ବିଭାଗର ଭୂମିକାକୁ ନେଇ ବଡ଼ ପ୍ରଶ୍ନବାଚୀ, ଭିଜିଲାନ୍ସ ତଦନ୍ତ ଦାବି
ଗୋଲାମୁଣ୍ଡା, ୨୬/୦୮(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି): କଳାହାଣ୍ଡି ଜିଲ୍ଲାରେ ଭାରତ ଗ୍ୟାସ୍ ବିତରଣ ବ୍ୟବସ୍ଥାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଗୋଲାମୁଣ୍ଡା ବ୍ଲକର ବାସନ୍ତୀ ଭାରତ ଗ୍ୟାସ୍ ଗ୍ରାମୀଣ ବିତରକଙ୍କ ୭୬ଟି ଗ୍ୟାସ୍ ସିଲିଣ୍ଡର ଜୁନାଗଡ଼ଠାରେ ଯୋଗାଣ ବିଭାଗ ପକ୍ଷରୁ ଜବତ ହେବା ପରେ ଘଟଣାଟି ଚର୍ଚ୍ଚାରେ ଆସିଥିଲା। କିନ୍ତୁ ଜବତ ଘଟଣାର ଦୀର୍ଘ ୪୮ ଘଣ୍ଟା ପରେ ଫୁଣ୍ଡାସ୍ଥିତ ଭାରତ ଗ୍ୟାସ୍ ଏଜେନ୍ସୀରେ ଯାଞ୍ଚ ହେବା ଏବଂ ଯାଞ୍ଚ ସମୟରେ ଷ୍ଟକ୍ ସମ୍ପର୍କିତ ତଥ୍ୟରେ ଅସଙ୍ଗତି ଦେଖାଯିବା ଘଟଣାକୁ ଆହୁରି ସନ୍ଦେହ ଘେରକୁ ଆଣିଛି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଧର୍ମଗଡ଼ ଏସିସିଓ ରାଜାରାମ ହୋତାଙ୍କ ନେତୃତ୍ୱରେ ଏବଂ ଜୁନାଗଡ଼ ଏମ୍ଆଇ ଅଲେଖ ଭୋଇଙ୍କ ଉପସ୍ଥିତିରେ ଏକ ଟିମ୍ ଫୁଣ୍ଡାସ୍ଥିତ ଭାରତ ଗ୍ୟାସ୍ ଏଜେନ୍ସୀରେ ଯାଞ୍ଚ କରିଥିବା ଜଣାପଡ଼ିଛି। ଏଜେନ୍ସୀର ଦସ୍ତାବିଜ, ଷ୍ଟକ୍ ରେଜିଷ୍ଟର, ଅନଲାଇନ୍ ରେକର୍ଡ ଏବଂ ବାସ୍ତବ ମହଜୁଦ ସିଲିଣ୍ଡର ସମ୍ପର୍କରେ ତଦାରଖ କରାଯାଇଥିବା ସୂଚନା ମିଳିଛି। ଯାଞ୍ଚ ସମୟରେ ୧୪ କେଜି ଡୋମେଷ୍ଟିକ୍ ସିଲିଣ୍ଡରର ଅନଲାଇନ୍ ରେକର୍ଡରେ ୨୭୮ଟି ଦର୍ଶାଯାଇଥିବା ବେଳେ ମହଜୁଦରେ ୨୬୩ଟି ଥିବା ଜଣାପଡ଼ିଥିବା କୁହାଯାଇଛି। ସେହିପରି ୧୯ କେଜି ସିଲିଣ୍ଡର ୧୫୧ଟି ଦର୍ଶାଯାଇଥିବା ବେଳେ ବାସ୍ତବ ଷ୍ଟକ୍ରେ ୯୪ଟି ଥିବା ତଥ୍ୟ ସାମ୍ନାକୁ ଆସିଛି। ଷ୍ଟକ୍ ରେଜିଷ୍ଟର ମଧ୍ୟ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଅପଡେଟ୍ ଥିବା ଜଣାପଡ଼ିଛି। ଏହା ସହ ଷ୍ଟକ୍ ବୋର୍ଡ ଅପଡେଟ୍ ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଠାରେ ବଡ଼ ପ୍ରଶ୍ନ ହେଉଛି—ଅନଲାଇନ୍ ରେକର୍ଡ, ଷ୍ଟକ୍ ରେଜିଷ୍ଟର ଏବଂ ବାସ୍ତବ ଷ୍ଟକ୍ ମଧ୍ୟରେ ଯଦି ତଫାତ ରହିଛି, ତେବେ ଏହାର କାରଣ କ’ଣ? ଏହି ତଫାତ କେବଳ ରେକର୍ଡ ଅପଡେଟ୍ ସମସ୍ୟା ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି? ଏହାର ସ୍ପଷ୍ଟ ତଦନ୍ତ ହେବା ଆବଶ୍ୟକ ବୋଲି ଗ୍ରାହକ ମହଲରେ ଦାବି ହେଉଛି। ଅନ୍ୟପକ୍ଷରେ, ଜୁନାଗଡ଼ରେ ୭୬ଟି ସିଲିଣ୍ଡର ଜବତ ହେବା ପରେ ମଧ୍ୟ ଫୁଣ୍ଡା ଏଜେନ୍ସୀ ବିରୋଧରେ ତୁରନ୍ତ କଠୋର ପଦକ୍ଷେପ ନ ନିଆଯାଇ ଦୀର୍ଘ ୪୮ ଘଣ୍ଟା ପରେ ଯାଞ୍ଚ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଜେନ୍ସୀକୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କାହିଁକି ଏତେ ଅନୁକମ୍ପା ଦେଖାଯାଉଛି, ତାହା ଏବେ ତଦନ୍ତର ବିଷୟ ହୋଇଛି। ଯଦି ଗ୍ୟାସ୍ ଷ୍ଟକ୍ ଓ ଅନଲାଇନ୍ ରେକର୍ଡ ମଧ୍ୟରେ ଏତେ ବଡ଼ ତଫାତ ରହିଛି, ତେବେ ଏହାର ଦାୟିତ୍ୱ କାହାର? ଗ୍ରାହକଙ୍କୁ ଗ୍ୟାସ୍ ବିତରଣରେ କୌଣସି ଅନିୟମିତତା ହୋଇଛି କି? ଏବଂ ଯଦି ଅନିୟମିତତା ହୋଇଛି, ତେବେ ଏତେଦିନ ଧରି ସମ୍ପୃକ୍ତ ଅଧିକାରୀଙ୍କ ନଜରକୁ ଏହା କାହିଁକି ଆସିଲା ନାହିଁ—ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଆଲୋଚନା ହେଉଛି। ଘଟଣାରେ ସ୍ୱଚ୍ଛ ତଦନ୍ତ ପାଇଁ ଭିଜିଲାନ୍ସ ସ୍ତରରେ ତଦନ୍ତ କରାଯାଇ ଗ୍ୟାସ୍ ଷ୍ଟକ୍, ଅନଲାଇନ୍ ରେକର୍ଡ, ବିକ୍ରି ଓ ବିତରଣ ତଥ୍ୟ, ଷ୍ଟକ୍ ରେଜିଷ୍ଟର ଏବଂ ଜବତ ହୋଇଥିବା ସିଲିଣ୍ଡରର ଉତ୍ସ ସମ୍ପର୍କରେ ଯାଞ୍ଚ କରାଯିବାକୁ ଦାବି ଜୋର ଧରିଛି। ତେବେ ଫୁଣ୍ଡା ଭାରତ ଗ୍ୟାସ୍ ଏଜେନ୍ସୀର ମାଲିକ ଜ୍ଞାନୀ ହରପାଲ ତାଙ୍କୁ ଫସାଇବା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି। ତେଣୁ ଅଭିଯୋଗ ଓ ପ୍ରତିଅଭିଯୋଗ ମଧ୍ୟରେ ଏହି ଘଟଣାର ନିରପେକ୍ଷ ତଦନ୍ତ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିପାରିବ। ଜିଲ୍ଲା ଯୋଗାଣ ବିଭାଗ ଏନେଇ କି ପଦକ୍ଷେପ ନେଉଛି ଏବଂ ଭିଜିଲାନ୍ସ ତଦନ୍ତ ହେଉଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।
What's Your Reaction?